Fri. Mar 29th, 2024
Raja at Odisha
0 0
Read Time:7 Minute, 43 Second

ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ: ରଜ,ପ୍ରତ୍ୟେକ ଓଡିଆଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖୁଥିବା କୃଷି ଭିତ୍ତିକ ପର୍ବ ଏବଂ ବସୁଧା ମାତା ପ୍ରତି ଏକ ସମ୍ମାନବୋଧ ଓ କୃତଜ୍ଞତା ପ୍ରଦାନ କରୁଥିବା ସୁନ୍ଦର ଉତ୍ସବ ହେଉଛି ‘ରଜପର୍ବ’ ।


ରଜପର୍ବ ସାଧାରଣତଃ ପ୍ରତିବର୍ଷ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ ମାସର ପ୍ରାରମ୍ଭରେ (ଜୁନ୍‌ମାସରେ) ପାଳନ କରାଯାଇଥାଏ । ଏହିପର୍ବ ଚାରିଦିନ ପାଳନ କରାଯାଉଥିବା ବେଳେ ରଜପର୍ବର ପ୍ରସ୍ତୁତି ଦିନକ ପୂର୍ବରୁ ଆରମ୍ଭ ହୋଇଥାଏ । ଯାହାକୁ ସାଜସଜା ବୋଲି ସାଧାରଣରେ କୁହାଯାଏ । ରଜର ପ୍ରଥମ ଦିନଟିକୁ ପହିଲି ରଜ, ଦ୍ୱିତୀୟ ଦିନଟି ରଜସଂକ୍ରାନ୍ତି ତଥା ମିଥୁନ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂଇ ଦଅଁଣ କୁହାଯାଇଥିବା ବେଳେ ଚତୁର୍ଥ ଦିନଟିକୁ ବସୁମତି ସ୍ନାନ ଭାବେ ପାଳନ କରାଯାଏ । ଆମର ବାସଭୂମି ପୃଥିବୀ ନିଷ୍କ୍ରାଣ ମୃତ୍ତିକା ପିଣ୍ଡ ନୁହେଁ, ଏହାର ପ୍ରାଣ ଅଛି । ଏହା ଆମକୁ ପାଳନ କରୁଛି । ଏହି ଚାରିଦିନ ବସୁଧାମାତା ରଜଶ୍ୱଳା ହୋଇଥାନ୍ତି । ଏହି ଗୂଢ ତତ୍ତ୍ୱକୁ ସ୍ୱୀକାର କରିବା ହେଉଛି ରଜପର୍ବର ମୂଳମନ୍ତ୍ର ।


କିମ୍ବଦନ୍ତୀ କହେ, ଧରିତ୍ରୀ ମାତା ଏହି ସମୟରେ ରଜଶ୍ୱଳା ହୋଇଥାଏ । ବେଦ ଅନୁଯାୟୀ ମା’ ଲକ୍ଷ୍ମୀ ମିଥୁନ ସଂକ୍ରାନ୍ତି ସମୟରେ ରଜଶ୍ୱଳା ହୋଇଥାନ୍ତି । ରଜଶ୍ୱଳା ହେବାର ପ୍ରଥମ ଦିନକୁ ରଜ ଭାବରେ ପାଳନ କରାଯାଏ ଏବଂ ଚତୁର୍ଥ ଦିନରେ ବସୁମତି ସ୍ନାନ କରାଯାଇ ଏହି ପର୍ବ ଶେଷ କରାଯାଇଥାଏ । ସ୍ତ୍ରୀ ଲୋକ ରଜଶ୍ୱଳା ହେଲେ ତିନି ଦିନ ଯେପରି ମୈଥୁନ କର୍ମ ନିଷିଦ୍ଧ ହୋଇଥାଏ, ଠିକ୍ ସେହିପରି ରଜ ତିନି ଦିନ କୃଷି କର୍ମ ମଧ୍ୟ ନିଷିଦ୍ଧ ହୋଇଥାଏ । ପ୍ରକୃତି ଓ ପରମ୍ପରାର ସମନ୍ୱୟ ହେଉଛି ‘ରଜପର୍ବ’ । ପ୍ରକୃତିର ଋତୁଚକ୍ରରେ ଠିକ୍ ଏହି ସମୟ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁଥାଏ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବା ସହ ମୃତ୍ତିକା ଅମଳକ୍ଷମ ହେବାପାଇଁ ପ୍ରଯୁର୍ଯ୍ୟ ହୁଏ । ନାରୀଟିଏ ପରି ପୃଥିବୀ ମଧ୍ୟ ରଜଶ୍ୱଳା ହେବା ପରେ ତାର ଉତ୍ପାଦିକା କ୍ଷମତା କାର୍ଯ୍ୟକାରୀ କରେ । ଏହାର ଯଥାର୍ଥତା ପ୍ରତିପାଦନ କରେ ‘ରଜପର୍ବ’ । ଏହା ଏକ ସୁନ୍ଦର ପରମ୍ପରା । ରଜ ଆରମ୍ଭରେ ପୃଥିବୀ ଶସ୍ୟଗର୍ଭା ହେଉ ବୋଲି କାମନା କରାଯାଏ ଏବଂ ବସୁମତୀ ସ୍ନାନ ପରେ କୃଷି କାର୍ଯ୍ୟ ଆରମ୍ଭ କରାଯାଏ । ତେଣୁ ରଜପର୍ବ ହେଉଛି ବର୍ଷାରମ୍ଭ ଶସ୍ୟଗର୍ଭା ପୃଥିବୀର ମାତୃତ୍ୱର ସଫଳତା କାମନା ଓ ସୃଷ୍ଟିର ଜୟ ଉତ୍ସବ ।


ରଜପର୍ବ ପାଇଁ ପ୍ରତ୍ୟେକ ଓଡିଆ ତଥା ଓଡିଶାର ଝିଅ ବୋହୂମାନେ ରଜପର୍ବ ଦିନ ଅର୍ଥାତ୍ ସଜବାଜ ଠାରୁ ପ୍ରସ୍ତୁତ ହୋଇଥାନ୍ତି । ସଜହେବା ପାଇଁ ନୂଆ ପୋଷାକ ସହ ବିଭିନ୍ନ ପ୍ରସାଧନ ସାମଗ୍ରି କିଣି ରଖିଥାନ୍ତି । ଦାନ୍ତକାଠି ଠାରୁ ଚୂନାକୁଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମାପନ କରାଯାଇଥାଏ । ରଜଦିନ ବଡି ଭୋରୁ ଘରଚାରି ପାଖେ ଗୋବର ଦିଆଯାଏ । ଗୋବରରେ ନାଇଟ୍ରିକ୍ ଏସିଡ୍ ଥିବାରୁ ଗୋବର ପାଖକୁ ସାପ ଆସନ୍ତି ନାହିଁ । ବର୍ଷାଦିନେ ଗାତରେ ପାଣି ପଶିଲେ ଆଶ୍ରୟ ନ ପାଇ ସାପ ଘର ଭିତରକୁ ଆସିବାର ସମ୍ଭାବନା ଥାଏ । ଏଣୁ ଏହାର ନିରାକରଣ ପାଇଁ ଘର ଚାରିପାଖେ ଗୋବର ଦିଆଯାଏ । ଏହାପରେ ମା’ ଭଉଣୀମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ସଜବାଜ ହୁଅନ୍ତି । ଅଳତା, ସିଙ୍ଗାର, ନୂଆ ପୋଷାକ ସହ ଆରମ୍ଭ ହୁଏ ଦୋଳି ଖେଳ, ଘରେ ଘରେ ଭାଷିଉଠେ ଓଡିଆ ପିଠାପଣାର ମହକ । ପୋଡପିଠା, ଆରିସା, କାକରା, ମଣ୍ଡା ଠାରୁ ଆରମ୍ଭ କରି ଖିରିପୁରି ପର୍ଯ୍ୟନ୍ତ ଜମିଯାଏ ଘରେ ଘରେ ।


ରଜର ମୁଖ୍ୟ ଆକର୍ଷଣ ପୋଡପିଠା ଓ ରଜପାନ । ଯାହା ଆମ ଓଡିଆ ସଂସ୍କୃତିକୁ ଉଜ୍ଜିବିତ କରିଥାଏ । କାରଣ ପ୍ରତ୍ୟେକ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋଜନ ଶେଷ ବେଳକୁ ପୋଡ ପିଠା ଖାଇବା ସହିତ ସମ୍ପୂର୍ଣ୍ଣ ଭୋଜନ ଶେଷରେ ପାନ ଖାଇଥାନ୍ତି । କିନ୍ତୁ ବୈଜ୍ଞାନିକ ମତ ଅନୁସାରେ, ଏହି ସମୟରେ ଯେହେତୁ ଜୟବାୟୁ ପରିବର୍ତ୍ତନ ହୋଇଥାଏ, ଅର୍ଥାତ୍ ଗ୍ରୀଷ୍ମ ଯାଇ ବର୍ଷାର ଆଗମନ ହୋଇଥାଏ, ତେଣୁ ପାଚନ ଯନ୍ତ୍ରକୁ ସୃଦୁଢ କରିବା ପାଇଁ ଆମର ପୂର୍ବ ପୁରୁଷମାନେ ରଜରେ ପୋଡପିଠାକୁ ପ୍ରାଧାନ୍ୟ ଦେଇଥିଲେ । ଏଥିରେ ବିଭିନ୍ନ ପ୍ରକାରର ଔଷଧୀୟ ଦ୍ରବ୍ୟ ତଥା ଅଦା, ଗୋଲମରିଚ, କର୍ପୁର, ଅଳେଇଚ, ଗୁଜୁରାତି ପ୍ରଭୁତି ସ୍ୱାସ୍ଥ୍ୟକର ଦ୍ରବ୍ୟ ଦିଆଯାଇଥିବାରୁ ଏହା ପାଚନତନ୍ତ୍ରକୁ ସୁଦୃଢ କରିଥାଏ । ପୋଡପିଠା ପରି ପାନ ମଧ୍ୟ ସ୍ୱାସ୍ଥ୍ୟପକ୍ଷେ ହିତକର । ଗରିଷ୍ଠ ଖାଦ୍ୟ ଖାଇବା ପରେ ପାନଖଣ୍ଡେ ଖାଇଦେଲେ ଖାଦ୍ୟ ସହଜରେ ହଜମ ହୋଇଥାଏ । କିନ୍ତୁ ପାନ ଘରୋଇ ଔଷଧୀୟ ମସଲାରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ ।


ଗାଁ ଠୁ ସହର ଚାରିଆଡେ ରଜ ଚାରିଦିନ ବିଭିନ୍ନ ପିଠାପଣା ସହ ଖେଳକୁଦ, ଦୋଳି, ଉତ୍ସବ, ସଜବାଜ ପ୍ରଭୃତି ପ୍ରତିଯୋଗିତା କରାଯାଇଥାଏ । କବାଡି ଖେଳ , ତାସ୍ ଆସର ମଧ୍ୟ ଜମେ । ରଜର ତୃତୀୟ ଦିନଟି ଭୂଇଁ ନଅଁଣ ହୋଇଥିବାରୁ ଖାଲି ପାଦରେ ଚାଲନ୍ତି ନାହିଁ । ଗୁଆଖେଳ, କଦଳୀ ବାସୁଙ୍ଗ ଓ ଚପଲ ପିନ୍ଧି ଚାଲନ୍ତି । ପୃଥିବୀ ରଜଶ୍ୱଳା ପାଳନ ବିଧିରେ ଝିଅବୋହୂଙ୍କୁ ଶିକ୍ଷା ଦିଆଯାଏ ଯେ, ପୃଥିବୀ ଯେପରି ଶସ୍ୟଶ୍ୟାମଳା ହୋଇପାରୁଛି, ସେହିପରି ମହିଳାଟିଏ ରଜଶ୍ୱଳା ସମୟରେ ବିଶ୍ରାମ ଓ ମନଖୁସିରେ ରହିଲେ ଉତ୍ତମ ସନ୍ତାନଟିଏ ଜନ୍ମ ଦେଇପାରିବ । ସେଥିପାଇଁ ରଜ ସମୟରେ ନାରୀମାନେ ରୋଷେଇ କରନ୍ତି ନାହିଁ । କୌଣସି ଜିନିଷ କାଟିବା କିମ୍ବା ବାଟିବା ପାଇଁ ମଧ୍ୟ ତାଙ୍କୁ ବାରଣ କରାଯାଇଥାଏ ।


ଶେଷରେ ଆସେ ଚତୁର୍ଥ ରଜ ଅର୍ଥାତ୍ ବସୁମତୀ ସ୍ନାନ । ଏହି ଦିନଟି ମଧ୍ୟ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ଭାବରେ ବେଶ ପରିଚିତ । ଏହି ଦିନ ସୂର୍ଯ୍ୟଦୋୟ ପୂର୍ବରୁ ବସୁଧା ମାତାଙ୍କୁ ଶୁଦ୍ଧସ୍ନାନ କରାଯାଇଥିବା ସହ ନାରୀମାନେ ମଧ୍ୟ ସ୍ନାନ କରିଥାନ୍ତି । ବସୁମତି ସ୍ନାନ ସମୟରେ ପିଢା ଉପରେ ଶିଳପୁଆ, କଦଳୀପାତି,ପାଂଚଣ,ଲଙ୍ଗଳଲୁହାକୁ ରଖି ସୁନ୍ଦୁର ଦିଆଯାଏ । ସୋରିଷ, ହଳଦୀଖଣ୍ଡ, ଫୁଲ, ଜଡାତେଲ ପ୍ରଭୁତିରେ ପୂଜାର୍ଚ୍ଚନା କରାଯାଏ । ଶଙ୍ଖ ଓ ହୁଳହୁଳି ସହିତ ଧୂପଦୀପରେ ବନ୍ଦାପନା କରାଯାଏ । ଶେଷରେ ବସୁଧାମାତାଙ୍କୁ ପ୍ରଣାମ କରି ଉତ୍ତମ ଚାଷ ଓ ଉପଯୁକ୍ତ ବର୍ଷା ପାଇଁ ପ୍ରାର୍ଥନା କରାଯାଇଥାଏ । ପରେ ପରେ ଆରମ୍ଭ ହୋଇଯାଏ କୃଷିକାର୍ଯ୍ୟ । ଛୁଟି ବି ସରେ ପୁଣି ଆର ବର୍ଷକୁ ଅପେକ୍ଷା ରଜ ମୌଜ ପାଇଁ ।

By admin

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *